Unknown

ସୁଦାମା

କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ

 

ପ୍ରଥମ ଅଙ୍କ

ପ୍ରଥମ ଦୃଶ୍ୟ

ସାନ୍ଦିପନୀ ଋଷିଙ୍କ ଆଶ୍ରମ

(ଆଶ୍ରମ କୁଟୀରରେ ସୁଦାମା ତଳେ ବସି ଗାମୁଛା କାନି ପାରିଲେ। ପାଖରେ ତାଙ୍କର ଗୋଟିଏ ଛୋଟ ପାଛିଆରେ ଥିବା ଖୁଦ ଭଜା ସେଇ ଗାମୁଛା କାନିରେ ଢାଳୁଥିଲେ। ଏତିକିବେଳେ ଘର ଭିତରୁ ଡାକ ଶୁଭିଲା)

 

ଗୁରୁପତ୍ନୀ: ସୁଦାମା! ସୁଦାମା!

ସୁଦାମା: ଆଜ୍ଞା ଗୁରୁମାଆ। ଯିବି ?

ଗୁ. ପ.: ନାଇଁ, ମୁଁ ଯାଉଛି।(ଆସିଲେ)

ସୁଦାମା:(ଖୁଦ କାନିରେ ଢାଳି ଗଣ୍ଠି କରୁକରୁ ବେଗେ ଉଠି) ଆଜ୍ଞା କରନ୍ତୁ ମାଆ!

 

ଗୁ. ପ.: ଜାଣିଛ ତ, ତୁମ ଗୁରୁ ସନ୍ଧ୍ୟା ପରେ ପୂଜା ଜପରେ ବସନ୍ତି। ରାତ୍ରି ଭୋଜନ ନିଷିଦ୍ଧ।

ସୁଦାମା: ଜାଣେ ମାଆ!

 

ଗୁ. ପ.: ସନ୍ଧ୍ୟା ପୂର୍ବରୁ ଭୋଜନ ସାରି ଗୁରୁଦେବଙ୍କ ନିକଟରେ ତୁମ୍ଭେମାନେ ଶିକ୍ଷାରେ ବସ। ନୁହେଁ ?

ସୁଦାମା: ଆଜ୍ଞା!

 

ଗୁ. ପ.: ରୋଷଶାଳକୁ ଯାଇ ଦେଖିଲି, କାଠ ମାତ୍ର ୪।୬ ଖଣ୍ଡି ଅଛି। କେଜାଣି ଜଗି ରଖି ଜାଳିଲେ ଏ ବେଳାଟା ଚଳି ଯାଇପାରେ। କାଲି ସକାଳକୁ କାଠ ନାହିଁ।

 

ସୁଦାମା: ମୁଁ ଦେଖିଆସିଛି ଗୁରୁ ମାଆ! ଖୁଦ ଗଣ୍ଡିଏ ଥିଲା, ଭାଜି ଆଣିବାକୁ ଯାଇଥିଲି ଯେ ଖଣ୍ଡିଏ କାଠରେ କଷ୍ଟେମଷ୍ଟେ ସେ ଗଣ୍ଡିକ ଭାଜି ଆଣିଛି।

 

ଗୁ. ପୁ.: କାଲି ସକାଳୁ କାଠ ଆଣି ପାକ କଲାବେଳକୁ ଉଛୁର ହୋଇଯିବ।

ସୁଦାମା: ମୁଁ ଏଇକ୍ଷଣି ସଖାଙ୍କୁ ସାଙ୍ଗରେ ନେଇ ବଣକୁ ଯିବି।

 

ଗୁର. ପୁ.: ଯିବ ଯେ, ସନ୍ଧ୍ୟା ପୂର୍ବରୁ ବାହୁଡ଼ି ଆସିବ। ବଣ ଭିତରେ ଜନ୍ତୁ ଭୟ। ଉଛୁର କରିବ ନାହିଁ। ମୁଁ ଖନ୍ଦାଶାଳକୁ ଯାଉଛି।

 

ସୁଦାମା: ଆପଣ ଆସନ୍ତୁ। ମୁଁ ସଙ୍ଗେ ସଙ୍ଗେ ବାହାରିଲି।

(ଗୁରୁମା’ ଚାଲିଗଲେ- ସୁଦାମା ଖୁଦକୁ କାନିରେ ବାନ୍ଧି ଉଠିଗଲେ।)

 

ଦ୍ୱିତୀୟ ଦୃଶ୍ୟ

-ଅରଣ୍ୟ-

(କାଠ କିଛି ଗୋଟାଇ ସଜାଡ଼ି ରଖି, ଗୋଟିଏ ପଥର ଉପରେ ଶ୍ରୀକୃଷ୍ଣ ସୁଦାମାଙ୍କ ବାଟ ଚାହିଁ ବସିବାକୁ ଗଲେ। ସୁଦାମା ମୁଣ୍ଡରେ କାଠ ଧରି ପ୍ରବେଶ।)

 

କୃଷ୍ଣ:(ଅଦୂରେ ସୁଦାମାଙ୍କୁ ଦେଖି-ପାଛୋଟି ଆଣିବାକୁ ଉଠି)

 

(ଗୀତ)

କେତେ ଦୂର ଗଲ ସଖା, ହେଲାଣି ଉଛୁର

ଭୋକ ଲାଗିଲାଣି ପେଟ ତାତି ଯାଏ ମୋର।।

 

ସୁଦାମା:(ସୁଦାମା ନିକଟକୁ ଆସି କାଠ ଥୋଇ ହସି ହସି ଗାଇଲେ)

ସଖା ହେ!

ଭଲ ଜଣା ଅଛି ମୋର

ଉଛୁର ହୋଇଲେ ଭୋକ ତ ସହି ନପା ର।।।୦।।

ସେକଥା ମନେ ବିଚାରି

ଆସିଲା ବେଳେ ବାହାରି,

ଖୁଦ ଭାଜିଥିଲି ମୁଠାଏ ଆଣିଛି

ଗାମୁଛା କାନିରେ ବାନ୍ଧି ମୁଁ ରଖିଛି,

ଦେବାକୁ ଲାଗୁଛି ଲାଜ

କାଳେ ତୁମେ କି ବିଚାର।।

 

କୃଷ୍ଣ:(ଆକାଂକ୍ଷିତ ହୋଇ, ସୁଦାମାଙ୍କ ବେକରେ ଥିବା ଗାମୁଛା କାନି ଟାଣି)-

- କାଇଁ ?କାଇଁ ସଖା! କୋଉଠି ଲୁଚାଇ ରଖିଛ, ଏତେବେଳ ଯାଏ ମୋତେ ଦେଇନାହଁ ?

 

(ଗୀତ)

ତୁମେ ଭାରି କପଟିଆ।

ସତେ ସଖା, ତୁମେ ବଡ଼ କପଟିଆ।।୦।।

 

ଏକଥା ତ ନୂଆ ନୁହେଁ

ଖୁଦ ଭଜା ସୁଖ ପାଏଁ

ବଢ଼ାଇ ନ ଦେଇ ତୁମେ ହୋଇଅଛ ଠିଆ।

ସତେ, ଭାରି କପଟିଆ।।୧।।

 

ମୋ ମନ ପରଖ ପାଇଁ

ସଖା ସୁଦାମା ଗୋସାଇଁ!

ସବୁବେଳେ ହେଲ ଖାଲି ଦୂରଛଡ଼ା-ଦିଆ

ତୁମେ ବଡ଼ କପଟିଆ।।୨।।

 

(କାନିରୁ ଗଣ୍ଠି ଫିଟାଇ ହସି ହସି ଖୁଦଭଜା ଖାଇଲେ। ସୁଦାମା ଲାଜ ଲାଜ ହେଲେ।)

 

ସୁଦାମା: ଏତିକି କାଠ କେତେ ଦିନ ଅବା ଯିବ ?ଏଇ ପାଖ ଗଛରେ ଚଢ଼ି, ଆଉ ଦିଖଣ୍ଡ ହାଣି ଆଣୁଛି ମୁଁ, ତୁମେ ବସି ଖାଉଥାଅ।

 

କୃଷ୍ଣ:(ଖୁଦ ଭଜା ମୁଠିଏ ଖାଇ) ବସିକରି ଖାଇବି କଅଣ ସଖା! ତୁମେ ଗଛରେ ଚଢ଼ ଡାଳ କାଟ। ମୁଁ କାଠ ଗୋଟାଇ ଆଣିବି ତଳୁ।

 

ସୁଦାମା: ହଉ ଚାଲ।

(ଦୁହେଁ ଚାଲିଗଲେ)

 

ତୃତୀୟ ଦୃଶ୍ୟ

-ଅରଣ୍ୟର ଏକ ଅଂଶ-

(ଶ୍ରୀକୃଷ୍ଣ ଓ ସୁଦାମା। ସୁଦାମା ଗଛ ଡାଳ ହାଣୁଛନ୍ତି। ଯୋର ପବନ ବହି ବର୍ଷା ହେଲା। ଚାରିଆଡ଼ ଅନ୍ଧାର ଘୋଟିଗଲା। ଶ୍ରୀକୃଷ୍ଣ କାଠ ସାଉଁଟୁ ସାଉଁଟୁ ସୁଦାମାଙ୍କୁ କହିଲେ)-

 

ଶ୍ରୀକୃଷ୍ଣ:-

(ଗୀତ)

ସଖା ଆସ,

ବେଗେ ଗଛରୁ ଓହ୍ଲାଇ ଆସ ହେ,

ଆସ ଆସ।।୦।।

 

କାଠ ହଣା ତେଣେ ଥାଉ ହେ,

ଦେଖ ମେଘ ବାଆ ଦାଉ

ଉତ୍ତର କୋଣରୁ କାଳିଆ ବଉଦ

ଘୋଟିଗଲା ଚଉଦିଶ ହେ-

ବେଗେ ଆସ।।୧।।

 

ବିଜୁଳି ଚମକ ଦେଖି ହେ,

ବୁଜି ହୋଇଯାଏ ଆଖି

ଛାତି ଉଠେ ଥରି, ଶୁଣି ମେଘ ରଡ଼ି

ପ୍ରବଳ ବହେ ବତାଶ ହେ-

ବେଗେ ଆସ।।୨।।

 

(ସୁଦାମା ତିନ୍ତିବୁଡ଼ି ଆସିଲେ- କୃଷ୍ଣ ତାଙ୍କ ଦେହରୁ ପାଣି ପୋଛି ଦେଉ ଦେଉ କହିଲେ)-

 

କୃଷ୍ଣ: ଦେହ ଯାକତ ଓଦା ସରସର। ପୋଛିଦିଏଁ। ଜୀବନଟା ବଡ଼ ନା କାଠହଣା ବଡ଼ କିଏ ?ଏ ମେଘକୁ ବିଶ୍ୱାସ ନାଇଁ। ଦେଖୁନା!

 

ସୁଦାମା:(କୃଷ୍ଣଙ୍କ ହାତ ଛଡ଼ାଇ ତାଙ୍କ ଆଡ଼କୁ ଚାହିଁଲେ)

 

(ଗୀତ)

ମୋତେ କି ଦେଖୁଛତୁମ ଦେହରୁ ତ

ପାଣି ବହେ ଧାର ଧାର।

ଆସ ବେଗେ କାହିଁଝଙ୍କା ଗଛ ଚାହିଁ-

ମୂଳରେ ରହିବା ତା’ର ହେ,

ହାତ ଧର,

ପାଦ ଚିପି ଥିରି ଥିରି ଚାଲ ହେ,

ମାଡ଼ି ଆସୁଛି ମେଘ ଅନ୍ଧାର ହେ

 

ସୁଦାମା:(ହାତ ବଢ଼ାଇଲେ। କୃଷ୍ଣ ତାଙ୍କ ହାତଧରି ଚାଲିଗଲେ)

 

ଚତୁର୍ଥ ଦୃଶ୍ୟ

-ସାନ୍ଦିପନୀଙ୍କ କୁଟୀର ଦ୍ୱାର-

(ମେଘ ଛାଡ଼ିଯାଇଛି- ଗୁରୁପତ୍ନୀ ଶିଷ୍ୟ ଦୁହିଁଙ୍କୁ ଖୋଜି ଖୋଜି ବିକଳ ହେଉଛନ୍ତି।)

 

ଗୁରୁପତ୍ନୀ: କାହାନ୍ତି ?କାଲିଠାରୁ ବଣକୁ ଗଲେଣି ଯେ, ଆସି ଛାଇ ଲେଉଟାବେଳ ହେଲାଣି। ଗଲେ କୁଆଡ଼େ ଦୁହେଁ ?ମୋର ତ ମୁଣ୍ଡ ଘୂରି ଯାଉଛି। କରିବି କଅଣ ?

 

(ସୁଦାମା ଓ କୃଷ୍ଣଙ୍କ ପ୍ରବେଶ। ସୁଦାମା କାଠ ଗୋଛା କାନ୍ଧରେ ଧରିଥିଲେ। ଥୋଇଦେଇ ମୁନିପତ୍ନୀଙ୍କୁ ଦୁହେଁ ପ୍ରଣାମ କଲେ, ମୁଣ୍ଡ ନୁଆଁଇଁ। ଗୁରୁପତ୍ନୀ ଦୁହିଁଙ୍କୁ କୋଳେଇ ଆଣି ଲୁହ ଛଳଛଳ ଆଖିରେ ମଥା ଆଉଁଷୁ ଆଉଁଷୁ କହିଲେ)-

 

ଗୁ. ପୁ.: ବାପଧନ!

(ଗୀତ)

ଛାଡ଼ିଯାଉଥିଲା ମୋ ଜୀବନ।

କାହିଁଥିଲ କହ ତ ବହନ।।

ଘର ବାହାର ମୁଁ ଚାହିଁ- ରାତିସାରା ନିଦନାହିଁ

ଋଷି ସନ୍ଦିପନୀ ଖୋଜି ହେଉଛନ୍ତି-

ଦେଖି ଏ ପାଣି ପବନ।।୧।।

 

ସୁଦାମା: ମାଆ। ଆପଣଙ୍କ ଆଜ୍ଞାରେ କାଠ ଆଣିବାକୁ ବଣ ଭିତରେ ପଶିଲୁଁ। କାହିଁ କେଉଁଠି କିଛି ନଥିଲା। ହଠାତ୍‌ବର୍ଷା, ବିଜୁଳି, ଘଡ଼ଘଡ଼ି ମାରି ଚଉଦିଗ ଅନ୍ଧାର ଘୋଟିଗଲା। ବଣରେ ବାଟ ପାଇଲୁଁ ନାହିଁ। ସକାଳ ହେଲାରୁ ତ ଆସୁଛୁଁ।

 

ଗୁ. ପ.: ଚାଲ ଚାଲ। ମୁନି ତମଦିହିଙ୍କି ନ ଦେଖି ଭାରି ବିକଳ ହୋଇ ତପସ୍ୟାରେ ବସିଛନ୍ତି। ଆସ, ଆଗେ ତାଙ୍କ ପାଖକୁ।

 

କୃଷ୍ଣ: ଆପଣ ଚାଲନ୍ତୁ ମାଆ, ସଖା ସୁଦାମା! ଆସ।

(ତିନିହେଁ ଯିବାକୁ ଉଦ୍ୟତ ହେବା ବେଳକୁ ସାନ୍ଦିପନୀ ପ୍ରବେଶ କଲେ। କୃଷ୍ଣ, ସୁଦାମା ତାଙ୍କ ପାଦଧରି ପ୍ରଣାମକଲେ।)

 

ସାନ୍ଦିପନୀ:(ଦୁହିଁଙ୍କ ମଥାରେ ହାତବୋଳି) ଦୀର୍ଘାୟୁ ହୁଅ ବତ୍ସ!

ସାନ୍ଦିପନୀ:(ଛାନ୍ଦ)

କେଣେ ଗଲ, କାହିଁ ରହିଲ ବୋଲି ମୁଁ ତୁମ ମଙ୍ଗଳ ମନାସି,

ପାରାୟଣ କରି ଜଳ ଛୁଇଁ ନାହିଁ, ତପସ୍ୟାରେ ଥିଲି ବସି।।

ବାଞ୍ଛା ସିଦ୍ଧ ହେଲା ପ୍ରଭୁ କୃପାବଳେ ତୁମ ଆସିବାର ବାରି।

ନମି ବିଭୁପଦେ ପୂଜା ମଣ୍ଡପରୁ ଆସୁଛି ଏବେ ବାହାରି।।

 

ଗୁ. ପ.:

(ଗୀତ)

ପଛେ କଥା ହେବ ଆଗେ ଆସନ୍ତୁ ସେ ଚାଣ୍ଡେ

ଫଳ, ମୂଳ ଯାହା ଅଛି ଦେବି ତାଙ୍କ ତୁଣ୍ଡେ

କାଲିଠାରୁ ଉପବାସ,

ଉଛୁର ନ କରି ବାପଧନ! ବେଗେ ଆସ।।

(ସମସ୍ତେ ଚାଲିଗଲେ)

 

ପଞ୍ଚମ ଦୃଶ୍ୟ

(ଶାନ୍ଦିପନୀ ଋଷିଙ୍କ କୁଟୀର ସମ୍ମୁଖ)

(ସୁଦାମା ଆଖି-ଲୁହ କାନିରେ ପୋଛି ପୋଛି ଆସି ଋଷିଆଶ୍ରମ ନିକଟସ୍ଥ ଗୋଟିଏ ଗଛମୂଳେ ଖଣ୍ଡିଏ ପଥର ଉପରେ ବସିଲେ। କିଛିବେଳ ଗଲାପରେ ନେପଥ୍ୟରୁ ଶ୍ରୀକୃଷ୍ଣଙ୍କ ଡାକଶୁଭିଲା)

 

ଶ୍ରୀକୃଷ୍ଣ:(ନେପଥ୍ୟରୁ) ସଖା, ସଖା, ସଖା!

ସୁଦାମା:(ଲୁହପୋଛି ଉଠି କରୁଣ କଣ୍ଠରେ)

 

(ଗୀତ)

ଆଉ କାହିଁକି ଏ ଡକା ହେ,

ସଖା, ସଖା, ସଖା,

କରମରେ ଦୁଃଖ ଲେଖା ହେ

କାଲି ହେବି ଏକା ଏକା

ଆଜି ଗୁରୁଘରେ ଶେଷ ଦେଖା।।

 

ଶ୍ରୀକୃଷ୍ଣ:(ସୁଦାମାଙ୍କ ହାତ ଧରିପକାଇ, ଆଖି ତାଙ୍କର ପୋଛି ଦେଇ କହିଲେ-)

 

ମୋର ଟିକିଏ ଉଛୁର ହୋଇଗଲା ସଖା! ଗୁରୁପତ୍ନୀ ମୋତେ ଡାକିନେଇ ବଉଳବେଦୀରେ ବସି କେତେ କଥା ପଚାରିଲେ। ତୁମ ପ୍ରଶଂସା ତ ତାଙ୍କ ତୁଣ୍ଡରୁ ସରୁନାହିଁ। ଆଜି ତ ଆମେ ଦୁହେଁ ଆଶ୍ରମରୁ ବିଦାୟ ନେବା। ତାଙ୍କ ମନ ଭାରି ଦୁଃଖ। ମୁଁ ସେଇଠି ଟିକିଏ ଅଟକି ଯାଇଥିଲି। ଜାଣେ, ତୁମେ ମୋତେ ଖୋଜୁଥିବ।

 

ସୁଦାମା: ସଖା,

(ଗୀତ)

ତୁମେ ତ ଦ୍ୱାରକା ଯିବ ହେ,

ସୁଖରେ ଦିନ କାଟିବ

ଆଉ କି ଗରିବ ସୁଦାମା ବ୍ରାହ୍ମଣ

ତୁମର ମନେ ପଡ଼ିବ ହେ ?

(ମୋର) ପଞ୍ଚାକ୍ଷର ମନ୍ତ୍ର ସାର ହେବ ହେ।।

 

ଶ୍ରୀକୃଷ୍ଣ: ଛି ଛି ସଖା,

ଏ କଥା ମନେ ନଭାବ

ପିଣ୍ଡ ମୋ ଦ୍ୱାରକା ଯିବ

କି କରି ତୁମକୁ ମନୁ ପାଶୋରିବି

ପିଣ୍ଡର ତ ତୁମେ ଜୀବ ହେ,

ଚିର ଅଲିଭା ଲେଖା ରହିବ।

(ସୁଦାମାଙ୍କୁ ଆଲିଙ୍ଗନ କଲେ)

 

ନେପଥ୍ୟେ: କୃଷ୍ଣ, ସୁଦାମା।(ଦୁହେଁ ଅଲଗା ଅଲଗା ହୋଇଗଲେ)

ସୁଦାମା:(ଚଞ୍ଚଳ ହୋଇପଡ଼ି)

ହେଇ, ଗୁରୁ ଡାକିଲେଣି, ଚାଲ, ପ୍ରଣାମ କରି ବିଦାୟ ନେବା।

(ଶ୍ରୀକୃଷ୍ଣଙ୍କ ହାତଧରି ଚାଲିଗଲେ)

 

ଦ୍ୱିତୀୟ ଅଙ୍କ

ପ୍ରଥମ ଦୃଶ୍ୟ

(ଗୋଟିଏ ତୋଟାର ବଡ଼ ଗଛମୂଳେ ବସିଛନ୍ତି କେତେକ ଶିଷ୍ୟ। ସେମାନେ ହାତଯୋଡ଼ି ସମବେତ କଣ୍ଠରେ ଗାଉଥିଲେ)

‘‘ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ୱର

ଗୁରୁ ସାକ୍ଷାତ, ପରଂବ୍ରହ୍ମ-ତସ୍ମୈ ଶ୍ରୀଗୁରୁବେ ନମଃ’’

 

୧ମ ଶିଷ୍ୟ: ଭାଇ, କାଲି ଗୁରୁଦେବ ପାଠଶାଳାକୁ ଆସି ନାହାନ୍ତି, ଆଜି ତ ପୁଣି କାହିଁକି ଏତେ ଉଛୁର ହେଲାଣି।

 

୨ୟ ଶିଷ୍ୟ: ସେ ତ କେବେ ନ ଆସି ରହନ୍ତି ନାହିଁ। ଆମ ମାନଙ୍କୁ ଶିକ୍ଷା ଦେଇସାରି, ଭିକ୍ଷା କରିବାକୁ ବାହାରନ୍ତି।

 

୩ୟ ଶିଷ୍ୟ: ଖରା, ବର୍ଷାକୁ ଖାତର ନାହିଁ ତାଙ୍କର। କି ନିଷ୍ଠା! ୟାକୁଇ କହନ୍ତି ସଦ୍‌ଗୁରୁ। ଆହା! ସୁଦାମା ଗୋସାଇଁଙ୍କ ପରି ଗୁରୁ ଭାଗ୍ୟରେ ଥିଲେ ସିନା!(ପ୍ରଣାମ କଲେ)

 

(ଜଣେ ଶିଷ୍ୟ ଧଇଁ ସଇଁ ହୋଇ ଦଉଡ଼ି ଆସିଛି)

୧ମ: କଅଣ ରେ, କଅଣ ରେ! ହେଲା କଅଣ ତୋର ?

 

ଆଗନ୍ତୁକ:(ଧଇଁସଇଁ ହୋଇ) ମୋର କିଛି ହୋଇନାହିଁ ଯେ, ଆମ ଗୁରୁ-ସୁଦାମା ଗୋସାଇଁଙ୍କ କଥାତ ଜାଣୁ। ଆମମାନଙ୍କଠାରୁ ତ ଗୁରୁ ଦକ୍ଷିଣା ସେ ନିଅନ୍ତି ନାଇଁ। କାହାରି ଘରେ ପୂଜା ପାର୍ବଣ କରି କିଛି ଆଣନ୍ତି ନାଇଁ। କେବଳ ଭିକ୍ଷାକରି ଚଳନ୍ତି- ଯେଉଁଦିନ ଯାହା ପାଇଲେ। ଘରେ ଆମ ଗୁରୁପତ୍ନୀ ସୁମତୀ ଦେବି ପୁଣି ପିଲା ପୁଅ ଦିଓଟି। ଆଜି ଏଇ ମୁଣ୍ଡ-ଫଟା ଖରାରେ କୁଆଡ଼େ ଭିକ୍ଷାକରି ଯାଇଥିଲେ ଯେ, ତେଣୁ ଆସି ଅଛାଡ଼ ହୋଇ ପଡ଼ିଛନ୍ତି।

 

୨ୟ: କଅଣ କହୁଛୁ!

ଆ: ଶିଷ୍ୟ: ଆଉ କହିବି କଅଣ ?ପାଣି ଛିଟାଦେଇ, ଉଠାଇ, ସାଷ୍ଟାମ କରି ଏଠିକି ଦଉଡ଼ିଛି ମୁ ତମମାନଙ୍କୁ ଖବର ଦେବାକୁ।

 

୨ୟ:(ଉଠି) ଆସ, ଆସ। ଚାଲ ସଭିଏଁ ଆଗେ ଗୁରୁଙ୍କୁ ଦେଖିବା।

 

(ସମସ୍ତେ ଉଠି ଚାଲିଗଲେ)

 

ଦ୍ୱିତୀୟ ଦୃଶ୍ୟ

(ସୁଦାମାଙ୍କ କୁଟୀର, ଠାକୁର ଘର। ଶ୍ରୀକୃଷ୍ଣ ମୂର୍ତ୍ତିଙ୍କ ଆଗରେ ଦୀପ ଜଳୁଛି, ସୁମତୀ ଆଖି ମୁଦି ଗାଉଛନ୍ତି।)

 

(ଗୀତ)

ଦୀନବନ୍ଧୁ ହେ,

ତୁମେ ପରା ଦୟା ସାଗର ?

ମୋହରି ବେଳକୁ ଶୁଖିଗଲା କି ହେ କରୁଣା ଝର ?

 

କେଉଁ ଅପରାଧ ମୁଁ କଲି

ଦିନ ରାତି ଦୁଃଖେ ସଢ଼ିଲି

ଅଭାବ ମୋହର ଗଣ୍ଠିଧନ ହେଲା

ସାଥି ହେଲା ଆଖି ଲୁହର ଧାର।।୧।।

 

କିଏ କିସ ଦେଲା ହେ ହରି!

ନେଲ ତୁମେ ତା’ ଦୁଃଖ ହରି

କହି ଦିଅ ମୋତେ କି ଦେଇ ତୋଷିବି

ଜୀବନକୁ ଛାଡ଼ି, କି ଅଛି ମୋର ?।।୨।।

 

କିଏ ମାଗୁଥିଲା, କହିଲ

କୋଳରେ ତ ବାଳୁତ ଦେଲ

ମୁଠିଏ ଖୁଦକୁ ଭାଜନ ନୋହିଲି

ଭୋକ ଉପାସରେ ନାହିଁ ଆହାର।।୩।।

 

(କାନିରେ ଲୁହ ପୋଛି ପ୍ରଣାମ କଲେ। ସୁଦାମାଙ୍କ ଦୁଇପୁଅ ବାହାରୁ ଦଉଡ଼ି ଆସିଲେ।)

ପିଲାଦୁହେଁ: ମାଆ, ମାଆ, ସକାଳୁ କିଛି ଖାଇ ନାହୁଁ, ଭାରି ଭୋକ। କଅଣ ଅଛି ଖାଇବାକୁ ଦେ ମା’।

 

(ସୁମତୀ ଲୁହ ପୋଛି ପିଲା ଦୁହିଙ୍କୁ କୋଳକୁ ଟାଣି ନେଇ ମଥା ଆଉଁଷି ଠାକୁରଙ୍କୁ ଚାହିଁ ରହିଲେ। ମୁଣ୍ଡ ନୁଆଁଇ ଲୁହ ଭରା ଆଖି ମୁଦି କହିଲେ-)

 

ସୁମତୀ: ହେ କୃଷ୍ଣ!

(ପିଲାଙ୍କୁ କୋଳେଇ ନେଇ ‘କୃଷ୍ଣ’ ବୋଲି କହିବା ବେଳକୁ ଆସିଲେ ସୁଦାମା ବାହାରୁ ଡାକି ଡାକି-)

ସୁଦାମା: ସୁମତୀ, ସୁମତୀ!(ଚମକି ପଡ଼ିଲେ ସୁମତୀ- ପିଲା ଦୁହେଁ ଚଞ୍ଚଳ ସୁଦାମାଙ୍କ ପାଖକୁ ଯାଇ ଦୁଇପଟେ ତାଙ୍କୁ କୁଣ୍ଢାଇଧରି ବିକଳ ହୋଇ କହିଲେ-)

 

ପିଲାଏ: ବାବା। କଅଣ ଆଣିଚ ?ଭାରି ଭୋକ।

(ସୁମତୀ ଉଠି ଠିଆହେଲେ ସୁଦାମା ହତାଶ କଣ୍ଠରେ କହିଲେ, ତାଙ୍କ ପାଖକୁ ଯାଇ)

ସୁଦାମା: ଏତିକି ଭିକ୍ଷା ପାଇଲି। ନିଅ।(କାନିରେ ଗାଣ୍ଠିକରି ରଖିଥିବା ଅଳ୍ପ ଚାଉଳକୁ ବଢ଼ାଇଦେଲେ)

 

ସୁମତୀ:(ଚାଉଳ ନେଇ) ପିଲା ଦି’ଟା ସକାଳୁ ଉପାସ। ଏଇତକ, କଅଣ ତାଙ୍କ ପେଟକୁ ...

ସୁଦାମା:(ବିକଳ କଣ୍ଠରେ ଦୀର୍ଘ ନିଃଶ୍ୱାସ ମାରି) ଯାହା ମିଳିଲା- ଯାହା ସେ ଦେଲେ।

ସୁମତୀ: ମୁଁ ଯାଉଛି, ରନ୍ଧାଶାଳକୁ। ତମକୁ ଗୋଟେ କଥା କହିବାକୁ ଥିଲା ଯେ...

ସୁଦାମା: କହ।

ସୁମତୀ: ପଛେ କହିବି। ଆଗେ ଯାଇ ପିଲାଙ୍କ ପାଇଁ ଚାଉଳ ମୁଠିକ ଫୁଟାଏଁ।

ସୁଦାମା: ହଉ। ଶିଷ୍ୟମାନେ ଚାହିଁ ରହିଥିବେ- ମୁଁ ତେଣେ ଯାଏଁ।

ସୁମତୀ: ଏଇ ଭୋକିଲା ପେଟରେ ?

ସୁଦାମା:(ଦୁଃଖରେ ହସି ଉପରକୁ ହାତ ଟେକି ଚାଲିଗଲେ)

ସୁମତୀ:(ଦୀର୍ଘ ନିଃଶ୍ୱାସ ମାରି) ହଉ, ତାଙ୍କ ଇଚ୍ଛା। ଆସ ପିଲାଏ!

(ପିଲାଙ୍କୁ ନେଇ ଚାଲିଗଲେ)

 

ତୃତୀୟ ଦୃଶ୍ୟ

(ଦ୍ୱାରକା ରାଜପୁରୀ- ଶ୍ରୀକୃଷ୍ଣ ଓ ଋକ୍ମିଣୀ ପଶା ଖେଳୁଥିଲେ। ଶ୍ରୀକୃଷ୍ଣ ସାର ଚାଳିବାରେ ଭୁଲ କଲେ। ଋକ୍ମିଣୀ ହସି କହିଲେ)

 

ଋକିଣୀ: (ଗୋଟି ଶ୍ରୀକୃଷ୍ଣଙ୍କ ହାତରୁ ଛଡ଼ାଇ) ହାଁ ହାଁ ହାଁ- ସେଇଟା ତମର ନୁହେଁ।

 

(ଗୀତ)

ନଟବର ହେ!

ଆଜି ଏ କିସ କର।

କଳା, ହଳଦିଆ ଚିହ୍ନିକି ପାରୁନା

ତମ ସାର ବୋଲି ଚାଳ ମୋ ସାର।।

କଳା ସାର ପରା ତମର,

ହଳଦିଆ ସାର ମୋହର

ଦାନ ପକାଇଲ, ମୋ ସାର ଚାଳିଲ

କିଆଁ ଏ ଭରମ ହେଲା ତୁମ୍ଭର ?।।୧।।

 

ଦିନେ କାଳେ ଦେଖା ନଥିଲା

ଆଜି କିଆଁ ଏଭଳି ହେଲା ?

ତିନିଟା ବଦଳେଦୁଇଟା କାଠିକୁ-

ଗଡ଼ାଇ ଦେଲଣି ତୁମେ ଦି’ଥର।।୨।।

 

ଏଣେ ତେଣେ ରହୁଛ ଚାହିଁ

ତୁମ ମନ ରହିଛି କାହିଁ ?

କାହାକୁ ସତେ ବା ଖୋଜି ହେଉଅଛ

ଆଖି ଦେଖୁଅଛି ରୂପ କାହାର ?।।୩।।

 

ସତ କହ ହୋଇଛି କିସ

ଖେଳ ହେଉ ଏଇଠି ଶେଷ

ତମ ମନ- କଥା ଶୁଣିବା ପାଇଁକି

ଆକୁଳ ହେଉଛି ମନ ମୋହର।।୪।।

(ଖେଳ ବନ୍ଦକରି ଋକ୍ମିଣୀ ଶ୍ରୀକୃଷ୍ଣଙ୍କୁ ଆଡ଼ ଆଖିରେ ଚାହିଁ ରହିଲେ)

 

ଶ୍ରୀକୃଷ୍ଣ:(ହସି) ଦେବି!

ଅନୁମାନ ତୁମ୍ଭ ସତ୍ୟ।

ଅନେକ ଦିନର କଥା।

ଶାନ୍ଦିପନୀ ଋଷିଙ୍କ ଆଶ୍ରମେ-

ଗୁରୁକୁଳେ ଶିଷ୍ୟ ରୂପେ

ସଙ୍ଗୀ ଥିଲେ ସୁଦାମା ମୋହର।

 

ପ୍ରାଣ ଦିଆ ସଙ୍ଗୀ, ଦୁହେଁ।

ଦେଖି ନାହିଁ ବହୁକାଳୁ ତାଙ୍କୁ।

କେଜାଣି କାହିଁକି ଆଜି-

ଦିଶି ଯାଉଅଛି,

ତାଙ୍କ ମୁଖ,

ଆଖି ଆଗେ ମୋର।

 

ଭାଳୁଛି ମୁଁ,

ସଖା ସୁଦାମା ମୋହର

ପକାଉଅଛନ୍ତି ପରା,

ଆଜି ମୋତେ ମନେ।

ଦିଶି ଯାଏ ତାଙ୍କ ମୁଖ।

ମନେ ପଡ଼ିଯାଏ ତାଙ୍କ ସ୍ନେହ

ଆଜି ମୋର।

 

ଋକ୍ମିଣୀ: କେତେ ଦୂର ହେବ ତାଙ୍କ ଘର ?

ଶ୍ରୀକୃଷ୍ଣ: ବହୁଦୂର।

ଇଚ୍ଛା ହୁଏ,

ଦେଖିବାକୁ ତାଙ୍କୁ।

 

ଋକ୍ମିଣୀ: ବାହନ ପଠାଇ,

ତାଙ୍କୁ ଆଣୁ ନାହିଁ-

ଦ୍ୱାରକାକୁ ଡାକି ?

 

ଶ୍ରୀକୃଷ୍ଣ: ବାହନ!

ନା ନା, ସମ୍ଭବ ନୁହଇ ଦେବି!

ମନର ଡାକରା ଠାରୁ-

ଅଧିକ କି ବାହନ ପ୍ରେରଣ ?

ଦ୍ୱାରକାର ରାଜା ବୋଲି ମୁହିଁ

ସଖାଙ୍କୁ ଆଣିବା ପାଇଁ,

ପେଶିବି ବାହାନ ?

 

ଋକ୍ମିଣୀ: ପ୍ରଭୁ!

ଏଡ଼େ ଭାଗ୍ୟବାନ ସତେ-

ଆପଣଙ୍କ ସଖା ?

ଯାହାଙ୍କର ଭେଟଲାଗି-

ଉତ୍କଣ୍ଠିତ, ଆପଣେ ଶ୍ରୀକୃଷ୍ଣ!

 

ବଡ଼ ଇଚ୍ଛାହୁଏ ମୋର

ଦରଶନ କରିବାକୁ

ସେ ମହାପୁରୁଷେ,

ଏଡ଼େ ଭାଗ୍ୟ

ହେବ କି ସମ୍ଭବ ସତେ ?

 

ଶ୍ରୀକୃଷ୍ଣ: ଇଚ୍ଛା ଘେନି-

ଫଳ ଫଳେ ଦେବୀ!

ଋକ୍ମିଣୀ: ଅଧିକ ହେଲାଣି ରାତ୍ର,

ଥାଉ ପଶାଖେଳ

ଆସନ୍ତୁ ଏଥର ପ୍ରଭୁ,

ବିଶ୍ରାମ ମନ୍ଦିରେ।

(ହାତଧରି ଉଠାଇନେଲେ ଶ୍ରୀକୃଷ୍ଣଙ୍କୁ)

 

ଚତୁର୍ଥ ଦୃଶ୍ୟ

(ସୁଦାମାଙ୍କ କୁଟୀର। ସୁଦାମା ଖଣ୍ଡିଏ ପିଢ଼ାରେ ବସିଥିଲେ। ସୁମତୀ ପାଖରେ ଛିଡ଼ା ହୋଇ ବିଞ୍ଚୁଥିଲେ।)

ସୁଦାମା:(ସୁମତୀଙ୍କ ହାତଧରି, ବାରଣ କରି) ଥାଉ, ଝାଳ ମରିଗଲାଣି।

ସୁମତୀ:(କାନିରେ ସୁଦାମାଙ୍କ ମୁଖରୁ ଝାଳ ପୋଛି)

 

(ଗୀତ)

ମୋତେ କହ ଫିଟାଇ

ମନମାରି ବସିଛ କିପାଇଁ ହେ ?

କୃଷ୍ଣ ତୁମ ସଖା ବୋଲି ତ କହିଛ

ତୁମ୍ଭେ ମୋତେ କେତେବାର

ଆମର ତ ଅତି ଦରିଦ୍ର ଅବସ୍ଥା

ସେପରା ଦ୍ୱାରକା ସାଇଁହେ।୧।

 

ତୁମେ ତ କହିଛ ତାଙ୍କଭଳି ଆଉ-

ଦୟାଳୁ ଜଗତେ ନାହିଁ

ଆମ ଦୀନଦଶା ବଦଳି ଯାଆନ୍ତା-

ଜଣାଇଲେ ତାଙ୍କୁ ଯାଇ।୨।

 

ସୁଦାମା:ସେତ ଦ୍ୱାରକାର ରାଜ- ଅଧିରାଜ

ଦରିଦ୍ର ସୁଦାମା ମୁହିଁ

ଚିହ୍ନି ପାରିବେ କି ନାହିଁ ସଖା ମୋତେ

ଆଉ ତ ସେକାଳ ନାହିଁ।

 

ସୁମତୀ: ପରମ ଦୟାଳୁ ସେପରା ପାରିବେ-

ସ୍ନେହ କି ପାଶୋରି ଦେଇ,

ପ୍ରାଣ ଦିଆଦେଇ ସଖା ସେ ତୁମ୍ଭର

ଡ଼ରୁଛ କିପାଁ ଗୋସାଇଁ ?

 

ତୁଚ୍ଛା ହାତେ ତୁମେ ଭେଟିବ କିପରି

କାଲି ଥିଲ ମୋତେ କହି,

ଓଳିଏ ଖାଇଲେ, ଓଳିଏ ଉପାସ

ପେଟପୂରା ଅନ୍ନ ନାହିଁ।।

କିଛି ନଥିଲାରୁ ପଡ଼ିଶା-ଘରକୁ

କାଲି ମାଗିଗଲି ମୁହିଁ,

ତାଙ୍କ ଘରେ ପୁଣି ଚାଉଳ ନଥିଲା

ଖୁଦ ଗଣ୍ଡେ ଦେଲା ସହୀ।।

 

ଭାଜି ରଖିଛି ମୁଁ, ଯାଅ ତୁମେ ଚାଲି

ସେଥିରୁ ମୁଠିଏ ନେଇ,

ଖଣ୍ଡିଆ ଚାଳିଆ ତଳେ ତ ଆମର

ଦୁଃଖରେ କାଳ କଟଇ।।

 

କେ ଜାଣି ବା ଆମ କରମ ଫିଟିବ

ସଖାଙ୍କୁ କହିଲେ ଯାଇଁ

ଯାଅ ତୁମେ କାଲି ଦ୍ୱାରକା ପୁରକୁ

ମଠ ଆଉ କାହିଁ ପାଇଁ ?

 

ସୁଦାମା: କି କହୁଛ ତୁମେ, ଛାର ଖୁଦ ଭଜା

କିପରି ଭେଟିବି ନେଇ ?

କି କହିବେ ସଖା, ରାଜପୂରଲୋକେ

ହସିବେ ସିନା ତ ଚାହିଁ।।

 

ସୁମତୀ: ତୁମେ କହୁଥିଲ ଆନନ୍ଦ ହୁଅନ୍ତି

ସେ ତ ଖୁଦ ଭଜା ଖାଇ,

କଥା ରଖି ମୋର ଦ୍ୱାରକା ପୁରକୁ

ଯାଅ ହେ ତୁମେ ଗୋସାଇଁ!

(ସୁଦୁମା ନିରବ ରହିଲେ)

 

ସୁମତୀ: ଭାବୁଚ କାହିଁକି ଏତେ ?ଯାହା ଆମ ହାତେ ହେଲା ସିନା! ୟେତ ଖୁଦ ଭଜା ନୁହେ। ଏ ଆମ ମନର ଭେଟି। ଉଠ, ଆସ। ଆଜି ରାତି ଫସର ଫାଟିଲା ବେଳକୁ ବାହାରି ପଡ଼। ବହୁତ ବାଟ। ଦେଖିଚାହିଁ ଯିବ।

(ସୁଦାମାଙ୍କ ହାତଧରି ଉଠାଇଲେ। ସୁଦାମା ଦୁଃଖରେ କୁଣ୍ଠିତ ହେବାପରି ତାଙ୍କ ମୁଖକୁ ଚାହିଁ କହିଲେ)

ସୁଦାମା: ସୁମତୀ!...

ସୁମତୀ: ଆଉ କିଛି ଭାବ ନାହିଁ। ଚାଲ।

(ଦୁହେଁ ଚାଲିଗଲେ)

 

 

ପଞ୍ଚମ ଦୃଶ୍ୟ

(ଯମୁନା ନଦୀକୂଳ। ସୁଦାମା ଆସି ନଦୀ ତୁଠରେ ନଦୀ ପାଣିକୁ ଚାହିଁ ଚିନ୍ତିତ ଅବସ୍ଥାରେ ବସି ପଡ଼ିଲେ)

ସୁଦାମା:(ଦୀର୍ଘ ନିଃଶ୍ୱାସ ମାରି)

ଆଉ ତ ଉପାୟ ନାହିଁ।

ସୁମତୀଙ୍କ କଥା ଶୁଣି

କଣ୍ଟା ଖୁଣ୍ଟା ଘୋରବନ,

 

ନମାନି କିଛି ମୁଁ-

ଚାଲି ଚାଲି ଦୂରପଥ

ଯମୁନାର ତଟେ ପହୁଞ୍ଚିଛି।

କିନ୍ତୁ,

ନିରୁପାୟ ମୁହିଁ।

 

ଏକେତ ଗହୀର ଜଳ

ତହିଁ ପୁଣି-

ବଢ଼ିଛି ପ୍ରବଳ ନଦୀ।

କିପରି ହୋଇବି ପାରି ?

(ଟିକିଏ ନୀରବ ରହି ବିକଳରେ)

 

ହେ ସଖା। ହେ କୃଷ୍ଣ!

ଦରଶନ ନକରି ତୁମ୍ଭଙ୍କୁ

ଝାସ ପଛେ ଦେବି ଜଳେ

ବାହୁଡ଼ି ନଯିବି କେବେ ଘରେ।

 

ସଖା! ପ୍ରାଣପ୍ରିୟ ମୋର,

ଆଉ କି ମୁଁ ଏ ଜନମେ

ନ ପାରିବି ତୁମ୍ଭ ଦରଶନ ?

ସଖା! କୃଷ୍ଣ![କାନିରେ ଲୁହ ପୋଛିଲେ]

[ଅଦୂର ନେପଥ୍ୟରୁ ଶୁଣାଗଲା]

 

(ଗୀତ)

ନେପଥ୍ୟ:ଦୁଇକୂଳ ଖାଇବଢ଼ିଅଛି ନଈ

ଭାରି ଖର ସୁଅ ତା’ର,

ନାଉରୀଆ କୁଳେଜନମ ଲଭିଛି

କରିବାକୁ ନଈ ପାର ତ

ଅଛ ପୁଜାରୀ କେହିଆସ ଭାଇ ହେ

ପାରିକରି ଦେବି, ଡର ନହିଁ।

 

ସୁଦାମା: (ହର୍ଷରେ ଉଠି, ହାତ ଯୋଡ଼ି) ହେ ସଖା! ହେ କୃଷ୍ଣ!(ଛିଡ଼ା ହୋଇ ନଈ ଆଡ଼କୁ ଅନାଁଇଲେ) କାହିଁ ?କେହି ତ କୋଉଠି ଦିଶୁ ନାହିଁ। ଏ ନାଉରୀ ଭାଇ! ଏ ନାଉରୀ ଭାଇ!(ଟିକିଏ ଆଗେଇ ଯାଇ ଡ଼ାକିଲେ)

 

ନେପଥ୍ୟରୁ: କିଏ ଡ଼ାକୁଚ ?

ସୁଦାମା: ଡଙ୍ଗା କାଇଁ ?ଆସ ଆସ ଭାଇ। ଆସ।

ନେପଥ୍ୟରୁ: ଡଙ୍ଗା କୂଳରେ ଖଟାଇ ଦେଇ, ଯାଉଚି।

ସୁଦାମା: ହଁ ହଁ, ଆସ, ଏଣିକି ଆସ।

(ନାଉରୀଆର ପ୍ରବେଶ)

ନାଉରୀ: ମୋତେ ଡାକୁଥିଲ ?

ସୁଦାମା: ହଁ, ମତେ ଟିକିଏ ପାରିକରି ଦିଅନ୍ତି ନାଇଁ ?

ନାଉରୀ: ବଢ଼ି ନଈ, ସାହସ ହଉଚି ତମର ଡଙ୍ଗାରେ ବସିବାକୁ ?

ସୁଦାମା: ହଁ, ମୋର ସାହସ ପାଉଛି। ତୁମେ ପାରି କରେଇ ଦେଇ ପାରିବ ?

 

ନାଉରୀ: ତମର ଯେବେ ଭରସା ପାଉଚି- ଆସ।

ସୁଦାମା: ହଁ, ଭରସା ପାଉଚି।

ନାଉରୀ: ତେବେ... ପାରି ମୂଲ ?

ସୁଦାମା: ଆହା! ମୁଁ ଦରିଦ୍ର ବ୍ରାହ୍ମଣ। ଯାଉଛି ଦ୍ୱାରକା। ବାହୁଡ଼ାଣି ତମ ପାରି କଉଡ଼ି ଦେବି।

 

ନାଉରୀ: ଦ୍ୱାରକା ଯାଉଚ କାହିଁକି ?

ସୁଦାମା: ମୋ ସଖାକୁ ଭେଟିବାକୁ ଯିବି।

ନାଉରୀ: ସଖା ?ସେ କିଏ ?

ସୁଦାମା: କୃଷ୍ଣ। ସେ ଦ୍ୱାରକାର ରାଜା।

 

ନାଉରୀ: ରଜାଙ୍କ ପାଖକୁ ଯାଉଚ ଖାଲି ହାତରେ ?ଭେଟି କିଛି ଆଣିଚ ?

ସୁଦାମା: କହିଲି ପରା ମୁଁ ଦରିଦ୍ର ବ୍ରାହ୍ମଣ। କଅଣ ଆଉ ଭେଟି ଦେବି ତାଙ୍କୁ ?

ନାଉରୀ: ଭାଇନା! କାଖରେ ସେ କଅଣ ଜାକିଚ କି ?

ସୁଦାମା: ଲାଜ କଥା- ମୁଠାଏ ଖୁଦ ଭଜା।

ନାଉରୀ: ବାଟରେ ଖାଇବାକୁ ଆଣିଚ, ନାଁ ?

 

ସୁଦାମା: ମୁଁ ଖାଇବାକୁ ନୁହେଁ ସଖାଙ୍କୁ ଭେଟି ଦବାକୁ।

ନାଉରୀ: (ହସି) କାଙ୍ଗାଳିଆ କଥା! ରାଜାଙ୍କୁ ଭେଟିଦେବ ଖୁଦଭଜା! ହଉ, ତମର ଯାହା ମନ। ପାରି ମୂଲ ତେବେ ବାହୁଡ଼ାଣି ଦବ ?ସତ କହୁଚ ?

ସୁଦାମା: ମୁଁ ବ୍ରାହ୍ମଣ। ଏଇ ପଇତା ଛୁଇଁ ସତ୍ୟ କହୁଛି।

ନାଉରୀ: ହଉ, ସେମିତି ହେଲେ ଆସ।

(ଦୁହେଁ ପ୍ରସ୍ଥାନ)

 

ଷଷ୍ଠ ଦୃଶ୍ୟ

(ଦ୍ୱାରକା ରାଜପୁରୀର ସିଂହାଦ୍ୱାର ସମ୍ମୁଖ। ସୁଦାମା ଏବଂ ପ୍ରହରୀ)

 

(ଗୀତ)

ପ୍ରହରୀ: ଯାଅ ରେ ଭିଖାରୀ ବ୍ରାହ୍ମଣ! ବେଗେ ତୁ

ସିଂହ ଦୁଆରୁ ପଳା।

ତୁ ଛାର କହୁଚୁ ରାଜାଙ୍କୁ ଭେଟିବୁ

କେଉଁ ସାହସରେ ଭଲା ?

 

ରୂପ ଭେଖ ତୋର ଦେଖିଲେ କିଏ ସେ

ନ କରିବ ଦୁରୁ ଦୁରୁ,

ତୁ ପୁଣି କହୁଚୁ ସଖା ତୋର ବୋଲି

କୃଷ୍ଣଚନ୍ଦ୍ର ମହାପୁରୁ ?

 

ଧକ୍‌କା ଦେଇ ତୋତେ ଦୁଆରୁ ତଡ଼ିବି

ବେଶୀ ତୁ କଟାଳ କଲେ,

ପାଗଳଟାଏ ତୁ ମୋ କଥାକୁ ମାନି

ଚାଲିଯାଅ ଭଲେ ଭଲେ।।

 

ସୁଦାମା: ଶ୍ରୀକୃଷ୍ଣ ମୋର ପଢ଼ାସାଥୀ। ମୋର ପ୍ରିୟ ସଖା। ଆମେ ଦୁହେଁ ଏକା ଗୁରୁଙ୍କର ଶିଷ୍ୟ। ବ୍ରାହ୍ମଣ ମୁଁ, ମିଛ କହୁନାହିଁ ଦ୍ୱାରୀ!

 

(ଗୀତ)

ଦୟାକର,

ତୁମ ରାଜାଙ୍କୁ ଦିଅ ଖବର।

ବହୁତ ବାଟରୁ ଆସିଅଛି ମୁହଁ

ଭେଟ ପାଇଁକି ତାଙ୍କର!

 

ସୁଦାମା ନାମ ମୋହର

ପାଠ ସାଥୀ ମୁଁ ତାଙ୍କର

ବଡ଼ ସୁଖ ମୋତେ ପାଆନ୍ତି ଶ୍ରୀକୃଷ୍ଣ

ପ୍ରାଣର ସଖା ସେ ମୋର।।

 

ପ୍ରହରୀ: ଆରେ କହିଲି ପରା ମୁଁ ସିଂହ ଦୁଆରରୁ

ଯାଆ ତୁ ଯାଆ ରେ ଚାଲି,

ମୁଣ୍ଡ ତୋ ଠିକଣା ନାହିଁ, ତୁ କହୁଚୁ-

‘କୃଷ୍ଣ’ ତୋ’ର ସଖା ବୋଲି ?

 

କେଉଁଠି ତୋ ଘର, କେଉଁଠୁ ଆସିଛୁ

ପାଦ ପଙ୍କ ସାଲୁବାଲୁ,

ଦେହରୁ ଝାଳର ଗନ୍ଧ ବାହାରୁଛି-

ଯିବୁ କି ନାହିଁ କହିଲୁ ?

 

ସୁଦାମା: ପାଗଳ ନୁହେ ମୁଁ,

ବ୍ରାହ୍ମଣ ମୁଁ।

କହୁଅଛି ସତ୍ୟ।

କୃଷ୍ଣ ସଖା ମୁହିଁ-

ନାମ ମୋ ସୁଦାମା,

 

ମାଗିବାକୁ ଆସି ନାହିଁ କିଛି,

ଆସିଛି ମୁଁ ବହୁ ଦୂରୁଁ-

ବହୁକାଳ ଅନ୍ତେ

ଖାଲି ତାଙ୍କ ଦରଶନ ପାଇଁ।

 

ଦୟାକରି, ଯାଇ ଥରେ

ଜଣାଅ ତାହାଙ୍କୁ।

ବାରଣ ସେ କଲେ,

ଯିବି ମୁଁ ବାହୁଡ଼ି।

(ସହସା ଶ୍ରୀକୃଷ୍ଣ ପ୍ରବେଶ କଲେ)

 

ଶ୍ରୀକୃଷ୍ଣ:(ଆନନ୍ଦ ଗଦଗଦ ହୋଇ ବେଗେ ଆସି କୁଣ୍ଢାଇ ପକାଇ ସଖା! କେଡେ ଶୁଭଦିନ ମୋର ଆଜି! ଆସ ସଖା।

(ଅନ୍ତଃପୁରକୁ ଘେନିଗଲେ)

ପ୍ରହରୀ:(ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲା)

 

ସପ୍ତମ ଦୃଶ୍ୟ

(ସୁଦାମାଙ୍କ କୁଟୀର ଦ୍ୱାର- ଜଣେ ଭାରୁଆ ଭାଇ ନେଇ ଆସିଲେ)

ଭାରୁଆ:(ଗାଆଁ ଦାଣ୍ଡରେ ଜଣେ ଗାଆଁ ବାଲା ବାଟୋଇକୁ ଦେଖି)-

(ଗୀତ)

ଆହେ ଭାଇ!

କହ ସୁଦାମା ଙ୍କ ଘର ଏଇ କି ?

କହଭାଇ!

ବହୁତବାଟରୁ ଆସି ଏ ଗାଆଁ କୁ

ହୋଇଲିଣି ଥକ୍‌କାମରା,

ଖୋଜୁଛି ସୁଦାମା ଗୋସାଇଁଙ୍କ ଘର

ମତେ, ବତାଇ ଦିଅ ତ ଭଲା।

ତାଙ୍କ ଘର ଏଇଟା କି ନାହିଁ ହେ।

 

ଗୋସାଇଁଙ୍କ ବନ୍ଧୁ ପଠାଇଲେ ଭାର

ତାଙ୍କ ଘରେ ଦେବା ପାଇଁ,

ଏଇ ଚାଳଘର, ଅଟେ କି ତାଙ୍କର

କାହାକୁ ଡାକିବି ମୁହିଁ ହେ ?

କିଏ ଅଛି ତାଙ୍କର,

ଭାର କାହାକୁ ଦେବି ମୁଁ ନେଇ।

 

ଗାଆଁ ବାଲା: ଆରେ ଆରେ, ସୁଦାମା ଗୋସାଇଁଙ୍କର ତ କେଇଦିନ ଦେଲା ଦେଖା ଦରଶନ ନାଇ। ଏଇଟା ତାଙ୍କଘର କଅଣସବୁ ତାଙ୍କ ବନ୍ଧୁଘରୁ ଆଣିଚୁ ?

 

(ଗୀତ)

ଭାରୁଆ: ଭାରରେ କିଅଛି ଜାଣିନାହିଁ

ତାଙ୍କ ବନ୍ଧୁ ଦେଇଛନ୍ତି ପଠିଆଇ।

ଭାରି ଓଜନ ହୋଇଛି ଭାରଗୋଟି,

ସତେ କାନ୍ଧ ମୋର ଯିବପରା ଫାଟି!

ଘରେ ଥିବେ ତ ତାଙ୍କର ଆଉ କେହି,

ଡାକି ଦିଅନ୍ତକି ହେଲେ ତାଙ୍କୁ ଭାଇ!

 

ଗାଆଁବାଲା: ଆରେ, କହିଲିପରା ଏଇଟା ତାଙ୍କ ଘର। ଆଉ ଏଇଟା ତାଙ୍କ ଘର ଦୁଆର ମୁହଁ। କେଡ଼େ ଭୟାଳୁ ଟେ ମ ତୁ! ଭାରଟାକୁ କାନ୍ଧେଇ ଠିଆ ହେଇଚୁ ?ଆଉ କହୁଚୁ କଅଣ ନା- ବଡ଼ ଭାରି ହେଇଛି! ଯା, କହିଲି ପରା, ତାଙ୍କ ଦୁଆରେ ଭାର ଥୋଇଦେ- ସେଇଠି।

(ଭାରୁଆ ଭାର ଥୋଇଦେଲା)

ଭାରୁଆ: ମୁଁ ତ ଚିହ୍ନି ନାହିଁ। ଟିକିଏ ତାଙ୍କ ଘରର କାହାକୁ ଡାକି ଦିଅନ୍ତ ନାଇଁ ?

ଗାଆଁ ବାଲା: ହଉ ହଉ। (ଦୁଆର ବାଡ଼େଇ) ଗୋସାଇଁ ଙ୍କ ଘରେ କିଏ ଅଛରେ ପିଲାଏ ?ଆଇଲ, ଆଇଲ।

 

(ଭିତରୁ ସୁଦାମାଙ୍କ ପୁଅ ନାରାୟଣ ଆସିଲା)

ନାରାୟଣ: କିଏ ଡାକୁଚ ?

ଗାଆଁବାଲା: ଆରେ, ଗୋସାଇଁଙ୍କ ପାଇଁ କଅଣ କଅଣ ତାଙ୍କ ବନ୍ଧୁ ଘର ପଠାଇଛନ୍ତି। ୟାକୁ ସବୁ ରଖ।

(ଚାଲିଗଲା)

ଭାରୁଆ: ହଁ ବେଳ ଗଡ଼ିଯାଉଛି। ବହୁତ ବାଟ ଯିବି। ଭାରଟା ରଖ।

ନାରାୟଣ: ଟିକିଏ ରହ। ମାଆଙ୍କୁ ଡାକେ’।(ଘର ଭିତରକୁ ଯାଉ ଯାଉ) ମାଆ, ମାଆ। ଦୁଆରକୁ ଟିକିଏ ଆସ। ବାବାଙ୍କର କୋଉ ବନ୍ଧୁ କି ଭାର ପଠାଇଛନ୍ତି।

ସୁମତୀ: (କହି କହି ବାହାରକୁ ଆସିଲେ) ଏଁ ?ଆଉ ସେ କାହାନ୍ତି ? (ଭାରୁଆକୁ ପଚାରିଲେ)

(ଗୀତ)

କିଏ ତୁମେ କାହୁଁ ଆସିଚ,

କି ନାମ କହ ତୁମ୍ଭର

କିଏ ଦୟାକରି ପଠାଇ ଅଛନ୍ତି

ଆମପାଇଁ ଏଇ ଭାର।

କାହିଁଗଲେ ଗୋସାଇଁ।।

କେବେ ଆସିବେ, ଅଛନ୍ତି କାହିଁ ?

 

(ଗୀତ)

ଭାରୁଆ: ଭଲରେ ଅଛନ୍ତି ସୁଦାମା ଗୋସାଇଁ

ଗଲେ ସେ ଦ୍ୱାରକାପୁର,

ମୋନାମ କାହ୍ଲୁଆଁ ଭାର ବୋହିବାଟି

ବେଉସା ଅଟେ ମୋହର।

ବନ୍ଧୁ ଗୋସାଇଁଙ୍କର

ଦେଇ ପଠାଇଛନ୍ତି ଏ ଭାର।।

 

ସୁମତୀ: କେବେ ବାହୁଡ଼ିବେ ସେ, ଜାଣିଛ କି ତୁମେ ?ଆମେ ସବୁ ଭୋକ ଉପାସରେ ପଡ଼ିଛୁଁ। ଦ୍ୱାରକା ତ ବହୁତ ବାଟ କେମିତି ଗଲେ, ଦେହ କିମିତି ଅଛି ତାଙ୍କର କିଛି ଖବର ନପାଇ, ଦିନରାତି ଖିଆପିଆ ନାଇଁ- ଛଟପଟ ହେଇ ମରୁଛୁଁ।

 

ଭାରୁଆ: ଗୋସାଇଁଙ୍କର ସବୁ ଭଲ। ବେଗେ ବାହୁଡ଼ି ଆସିବେ ବୋଲି କହୁଥିଲେ। ଭାର ରଖ। ବହୁତ ବାଟରୁ ଆସିଛି। ଆଉ ମଠ କଲେ ଚଳିବ ନାଇଁ। ମୁଁ ଯାଉଛି।

 

ସୁମତୀ: କେତେବାଟରୁ ଆସିଚ! ସାଙ୍ଗେ ସାଙ୍ଗେ ରନ୍ଧା ରନ୍ଧି କରିଦେବି, ମୁଠାଏ ହେଲେ ଯାହିତାହି ଖାଇକରି ଯିବ ନାଇଁ ?

 

ଭାରୁଆ: ନାଇଁ, ବାଟ ବହୁତ। ତେଣେ ମୋତେ ସବୁ ଅନାଇଁ ଥିବେ। ଡାକିଲ, ଆଉ ଖାଇବାଟା କଅଣ ବଡ଼କଥା! ଯାଉଛି ବାହାରି। କିଛି ମନେ କରନାଇଁ।

ସୁମତୀ: ହଉ, ତମ ମନ।

(ଭାରୁଆ ଚାଲିଗଲା। ସୁମତୀ ଓ ନାରାୟଣ ଭାରକୁ କଷ୍ଟରେ ଘରକୁ ନେଲେ।)

 

ଅଷ୍ଟମ ଦୃଶ୍ୟ

(ଦ୍ୱାରକା ରାଜ- ଅନ୍ତଃପୁର। ସୁଦାମା ସିଂହାସନରେ ବସିଛନ୍ତି। ଶ୍ରୀକୃଷ୍ଣ ତାଙ୍କ ପାଦ ଧୋଇ ଦେଉଛନ୍ତି। ରୁକ୍ମିଣୀ ପାଣି ଢାଳୁଛନ୍ତି)

 

ସୁଦାମା: (ବାଧାଦେଇ) ଆହା! ଆହା! ୟେ କଅଣ କରୁଚ ସଖା! ଥାଉ ଥାଉ।

 

ଶ୍ରୀକୃଷ୍ଣ: କଅଣ ହେଲା ?କେତେ ଦୂର ବାଟରୁ, କେତେକାଳପରେ ମୋତେ ଟିକେ ଖାଲି ଦେଖିବା ପାଇଁ ତୁମେ ଚାଲି ଚାଲି ଆସିଛ ?ପାଦଯାକ ପଙ୍କ ପୁଣି ଲଟା କଣ୍ଟା ବାଜି ଖଣ୍ଡିଆ ଖାବରା ହୋଇଛି! ଟିକିଏ ଧୋଇଦିଏଁ। କାହିଁକି ମନା କରୁଚ ?

 

ସୁଦାମା: ହଉ ହେଲା। ସେତିକି ଥାଉ।

 

ଋକ୍ମିଣୀ: କାହିଁକି ବାରଣ କରୁଛନ୍ତି ?ବହୁତଥର ତ ତାଙ୍କ ତୁଣ୍ଡରୁ ଆପଣଙ୍କ କଥା ଶୁଣିଛି। ସେ ତ କହନ୍ତି ଆପଣଙ୍କପରି ପରି ବନ୍ଧୁ ଆଉ ତାଙ୍କର କେହି ନାହିଁ। ଏଇତ ଦି ଦିନ ଆଗରେ ଆପଣଙ୍କୁ ମନେ କରୁଥିଲେ। ମୁଁ ଟିକିଏ ପୋଛିଦିଏଁ।(କାନିରେ ପୋଛି ଦେଉ ଦେଉ) କେଡ଼େ ଭାଗ୍ୟ ମୋର!

 

ସୁଦାମା: ଦେବୀ, ଆପଣମଧ୍ୟ ସଖାଙ୍କ ସାଙ୍ଗରେ ମୋର କଥାକୁ କଥା ମିଳାଇଲେ ?

(ଋକ୍ମିଣୀ ପାଦ ଧୋଇସାରି କାନିରେ ପୋଛି ଦେଲେ)

 

ଋକ୍ମିଣୀ: ଏଥର ଟିକିଏ ନିଶ୍ଚିନ୍ତରେ ବସି ଥକ୍‌କା ମେଣ୍ଟାନ୍ତୁ। କେତେ ବାଟରୁ, କେତେ ପରିଶ୍ରମ କରି ଦ୍ୱାରକା ପୁରକୁ ଆସିଛନ୍ତି। ଦେବ! ଆପଣ ଆପଣଙ୍କ ସଖାଙ୍କ ସାଙ୍ଗରେ ବସି ଦୁଃଖ ସୁଖ ହେଉଥାଆନ୍ତୁ, ମୁଁ ଟିକିଏ ଭିତରକୁ ଯାଇ ଦେଖିଆସେଁ। ବାଟରେ ତାଙ୍କର ଖିଆ ପିଆର ଠିକଣା ନାହିଁ ...

(ଝରି ଘେନି ଚାଲିଗଲେ)

ଶ୍ରୀକୃଷ୍ଣ: (ସୁଦାମାଙ୍କ ପାଖରେ ବସି) ମୋ ସଖୀଙ୍କର ସବୁ କୁଶଳ ତ ସଖା! ତମ ବାହୁଡ଼ା ବାଟକୁ ଚାହିଁ ରହିଥିବେ ମୋ’ପାଇଁ ତମ ହାତେ କିଛି ଦେଇପଠାଇ ନାହାନ୍ତି ସେ ?

 

ସୁଦାମା: ସଖା! ତୁମେ ରାଜରାଜେଶ୍ୱର। ତୁମେ କାହିଁ- ମୁଁ କାହିଁ! କଅଣ ଅବା ତୁମପାଇଁ ଆଣନ୍ତି ?

 

ଶ୍ରୀକୃଷ୍ଣ: ମନେପଡ଼ିଯାଉଛି ସଖା ଗୋଟି ଗୋଟି ହୋଇ ସେ ସନ୍ଦିପନୀ ଋଷିଙ୍କ ଆଶ୍ରମରେ ସବୁ ଘଟଣା। ସ୍ମୃତି ତ ଅପାଶୋରା। ମନେ ପଡ଼ୁଛି ସେ ବିଦାୟବେଳର କଥା। ତମର ସେ ଲୁହଭରା ଆଖି ଜଳ ଜଳ ହୋଇ ଦିଶିଯାଉଛି ମୋତେ। ଦ୍ୱାରକାର ରାଜାବୋଲି, ମୁଁ କଅଣ ତମ ସ୍ନେହ, ତମର ସେ ଆଦର, ପାଶୋରି ଦେଲେଣି ? ସବୁ ମନେ ଅଛି- ମୁଁ ତମର ସେଇ ସଖା। (ସୁଦାମାଙ୍କ କାନ୍ଧରେ ହାତ ପକାଇଲେ! ସୁଦାମା ସଙ୍କୁଚିତ ହୋଇ କାଖ ଉପରର କାନ୍ଧରେ ହାତ ଘୋଡ଼ାଇଲେ।)

 

ଶ୍ରୀକୃଷ୍ଣ: ସଖା! ସେ କଅଣ ଜାକି ରଖିଚ କାଖରେ ?

ସୁଦାମା: (ବାଧା ଦେଇ, କୁଣ୍ଠିତ ଭାବେ) ନାଇଁ ନାଇଁ, କିଛି ନୁହେଁ ସଖା! ସେ କିଛି ନୁହେଁ।

 

ଶ୍ରୀକୃଷ୍ଣ: ଦେଖେଁ, ଦେଖେଁ, ଟିକିଏ ?ମୋତେ ଲୁଚାଉଚ ?ମୁଁ ପରା ତମର ସେଇ ସଖା ? (ସୁଦାମାଙ୍କ କାଖ ଟେକି ଦେଲେ। ଖୁଦ ଗଣ୍ଠଟି ଖସି ପଡ଼ିଲା, ଶ୍ରୀକୃଷ୍ଣ ତୋଳି ନେଇ, ଫିଟାଇ ଆନନ୍ଦରେ ହସି) ସଖା! କପଟ କଲ ମୋତେ ? ୟେ ତ ସେଇ ଖୁଦ ଭଜା- ଯାହାକୁ ମୁଁ ଭାରି ସୁଖ ପାଏଁ। ଆହା! କେଡ଼େ ସୁସ୍ୱାଦୁ! (ମୁଠାଏ ଖାଇଲେ, ଆଉ ମୁଠାଏ ନେବା ବେଳକୁ ଭିତରୁ ଋକ୍ମିଣୀ ହଠାତ୍‌ଆସି ପହୁଞ୍ଚିଲେ ଓ ଶ୍ରୀକୃଷ୍ଣଙ୍କ ହାତଧରି ବାଧାଦେଲେ)

 

ଋକ୍ମିଣୀ: ନାଇଁ, ନାଇଁ, ସେତିକି ଥାଉ। ଛାଡ଼ ଛାଡ଼। (ଖୁଦ ଛଡ଼ାଇଲେ)

 

(ଗୀତ)

ଏ କି କର ତୁମେ ଜଗତ ଠାକୁର!

ଖାଇଲଣି ତ ମୁଠିଏ।

ସେତିକିରେ ତିନିପୁର ଅଇସୂର୍ଯ୍ୟ

ଲାଭ କରିଲେଣି ସିଏ।

 

ଥାଉ, ଆଉ ନ ଖାଅ,

ବାକି ରହିଲା କି ସୁଖ କହ ?

ବିଜେ କର ତେଣେ ଠାଆ ସଜ କରି

ଡାକି ଆସିଅଛି ମୁହିଁ,

 

ଆସନରୁ ଉଠ, ମଠ କର ନାହିଁ,

ଆସନ୍ତୁ ସଙ୍ଗେ ଗୋସାଇଁ

ସେବା- ସୁଯୋଗ ପାଇ

ଧନ୍ୟ ହୋଇବ ଏ ମୋର ଦେହି।।

 

(ଶ୍ରୀକୃଷ୍ଣଙ୍କୁ ହାତ ଧରି ଉଠାଇଲେ, ଦୁଇହାତ ପତାଇ ସୁଦାମାଙ୍କୁ ଆସିବାକୁ ଠାରି ଦୁହିଁଙ୍କୁ ଅନ୍ତଃପୁର ଭିତରକୁ ନେଇଗଲେ।)

 

ନବମ ଦୃଶ୍ୟ

(ସୁଦାମାଙ୍କ ନୂଆ କୋଠାଘର ସମ୍ମୁଖ। ଦୁଇଜଣ ଶିଷ୍ୟମାଧବାନନ୍ଦ ଓ: ଶ୍ୟାମସୁନ୍ଦର ଆସିଲେ)

ମାଧବ: (ଆଶ୍ଚର୍ଯ୍ୟ ହୋଇ ସୁଦାମାଙ୍କ କୋଠାକୁ ଚାହିଁ) ଏଁ: ? ସତେ ତ!

ଶ୍ୟାମ: କେତେଗୁରାଏ ଦିନ ହେଲା ଗୁରୁଦେବଙ୍କ ଦର୍ଶନ ନାହିଁ। ଆମ୍ଭମାନଙ୍କ ପାଠପଢ଼ା ବନ୍ଦ। କାରଣ ଜାଣି ନ ପାରି ମୁଁ ତାଙ୍କୁ ଖୋଜିବାକୁ ଆଜି ଆସି, ଏଠି ଦେଖେଁ ତ- ଠାରି ଦେଲା)

 

ମାଧବ: ଗୁରୁଦେବଙ୍କର ସେ ଚାଳିଘର କଅଣ ସତରେ ଏଇଠି ଥିଲା ?ବିଶ୍ୱାସ କରି ହେଉନାହିଁ।

ଶ୍ୟାମ: ମ, ତୁମେ କଅଣ କେବେ ଗୁରୁ ଘରକୁ ଆସି ନାହିଁ ?ଦେଖିନାହିଁ ତାଙ୍କ ଚାଳିଘର ?

 

ମାଧବ: ଦେଖିଛି ଯେ, ହେଲେ ......

ଶ୍ୟାମ: ଦେଖିଛ ତ, ଆଉ କହୁଚ କଅଣ ?

ମାଧବ: (ଆଖି ମଳି) ମାଧବ! ମୁଁ ଚେଇଁଛି ନା ଶୋଇଛି ?କିଛି ଜାଣିପାରୁ ନାହିଁ।

 

ଶ୍ୟାମ: ମ ମ, ମୁଁ ଡାକିଲାରୁ ଚାଲିକରି ଏଠାକୁ ଆସିଛ, ପୁଣି ପଚାରୁଛ କଅଣ ନା- ତୁମେ ଚେଇଁଛ କି ଶୋଇଛ! (ହସିଲେ)।

 

ମାଧବ: ସତେ, ଏ କିପରି ସମ୍ଭବ ହେଲା ?ସୁଦାମା ଗୋସାଇଁ କଅଣ ତନ୍ତ୍ରମନ୍ତ୍ରର ଗୁରୁ ମଧ୍ୟ ?କୁହୁକବଳରେ ହଠାତ୍‌ସେ ଚାଳିଘର ବଦଳିଯାଇ ମାତ୍ର ଦିନ କେଇଟା ଭିତରେ ଛିଡ଼ା ହୋଇଛି ଏଇ ବିରାଟ ଅଟ୍ଟାଳିକା। କେତେଦିନରେ ତୋଳା ହେଲା ?କିଏ ତୋଳିଲା ?ୟେ’ତ ଏକାବେଳକେ ଅସମ୍ଭବ କଥା! ନିଶ୍ଚୟ ଗୁରୁଦେବଙ୍କୁ କୁହୁକ- ବିଦ୍ୟା ଜଣା।

 

ଶ୍ୟାମ: ସେଇ: କଥା ତ ମୁଁ ଭାବୁଛି। ୟେ ତ ନିଶ୍ଚିତଭାବେ ତାଙ୍କରି ରହିବା ଘରର ସ୍ଥାନ।

ମାଧବ: ଦେଖିବା- ଡାକ ତାଙ୍କ ପୁଅ ନାରାୟଣଙ୍କୁ। ବଳେ ସନ୍ଦେହ ତୁଟିଯିବ।

ଶ୍ୟାମ: (ଟିକିଏ ଆଗକୁ ଯାଇ) ନାରାୟଣ! ନାରାୟଣ! ନେପଥ୍ୟେରୁ: କିଏ ଡ଼ାକୁଚ ?

(ପ୍ରବେଶ କଲେ ନାରାୟଣ)

 

ନାରାୟଣ: ଆରେ! ମାଧବ! ଶ୍ୟାମ! ତୁମେ ଦୁହେଁ ଆସିଛ ?

ମାଧବ: ନାରାୟଣ! ଏ କଅଣ ତୁମରି ଘର ?

ନାରାୟଣ: ହଁ। ଆମ ଘର।

ଶ୍ୟାମ: ସେ ଚାଳିଘର କାହିଁ ?ତା’ ବଦଳରେ ଏଡ଼େ ବଡ଼ କୋଠା ?

 

ନାରାୟଣ: ସତ ବହୁଛି ଭାଇ, ଆମେ କିଛି ଜାଣିନାହୁଁ। ରାତିରେ ମାଆଙ୍କ ପାଖେ ଶୋଇଥିଲୁଁ। ସକାଳୁ ଉଠି ଦେଖିଲୁଁ- ଏ ପକ୍‌କା ଘରେ, ପଲଙ୍କ ଉପରେ ଶୋଇଛୁଁ। କେମିତି କଅଣ ହେଲା ଆମକୁ କିଛି ଜଣାନାହିଁ। ମାଆ ମଧ୍ୟ ତାଟକା ହେଉଛନ୍ତି।

 

ମାଧବ: ଗୁରୁଦେବ ତ ଗ୍ରାମରେ ନ ଥିଲେ।

 

ନାରାୟଣ: ସେ ଦ୍ୱାରକା ଯାଇଥିଲେ, କାଲି ରାତିରେ ବାହୁଡ଼ିଲେ। ତାଙ୍କ ଆସିବା ଆଗରୁ ଏ ବଡ଼ କୋଠା। ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ସଙ୍କୋଚରେ ଦାଣ୍ଡରୁ ମୋ ନାମଧରି ଡାକିଲେ। ତାଙ୍କ କଣ୍ଠ ଶୁଣି ମାଆ ଦୁଆରକୁ ଆସି, ତାଙ୍କୁ ଘରକୁ ନେଇଗଲେ।

 

ଶ୍ୟାମ: ଗୁରୁଦେବ କାହାନ୍ତି ?

ନାରାୟଣ: ସେ ଗାଧୋଇସାରି ପୂଜାରେ ବସିଛନ୍ତି।

ମାଧବ: ଆମେ ଟିକିଏ ତାଙ୍କ ଦର୍ଶନ ପାଇପାରିବୁଁ ନାହିଁ ?

ନାରାୟଣ: ଆସୁନାହିଁ ?ଘର ଭିତରକୁ ଆସ।

(ଦୁହିଁଙ୍କ ହାତ ଧରି ନେଇଗଲେ)

 

-ଦଶମ ଦୃଶ୍ୟ-

ସୁଦାମାଙ୍କ ଠାକୁର ଘର। ସୁଦାମା ଆଖିମୁଦି ହାତଯୋଡ଼ି ସିଂହାସନରେ ଥିବା ଶ୍ରୀକୃଷ୍ଣ ମୂର୍ତ୍ତି ଆଗରେ ଛିଡ଼ା ହୋଇଛନ୍ତି। ସୁମତୀ ଦୀପ ଲଗାଇ ତାଙ୍କ ହାତକୁ ବଢ଼ାଇ ଦେଲେ। ଏତିକିବେଳେ ମାଧବ ଓ ଶ୍ୟାମଙ୍କୁ ନେଇ ନାରାୟଣ ପଛପଟୁ ଆସି ହାତଠାରି ଦେଖାଇଦେଲେ। ସୁଦାମା, ଆଳତୀ ଆରମ୍ଭ କଲେ। ସୁମତୀ ଶଙ୍ଖ ଫୁଙ୍କିଲେ। ଆଳତୀ ସାରି ଆସନରେ ବସି ସୁଦାମା ପ୍ରାର୍ଥନା ଗୀତ ଗାଇଲେ, ସୁମତୀ ତାଙ୍କ ସହିତ କଣ୍ଠ ମିଳାଇଲେ। ଶିଷ୍ୟମାନେ ମୁଣ୍ଡିଆ ମାରିଲେ, ପଛପଟେ ଥାଇ)

 

ସୁଦାମା (ଗୀତ)

ନନ୍ଦ ନନ୍ଦନ ହେ,

ଜୟ କରୁଣା ନିଧାନ,

(ମାଧବ ଓ ଶ୍ୟାମ ପାଳି ଧରିଲେ)

ନନ୍ଦ କନ୍ଦନ ହେ,

ଜୟ କରୁଣା ନିଧାନ।

(ସୁଦାମା ଚମକି ପଛକୁ ଚାହିଁଲେ)

 

ସୁଦାମା: କିଏ ?ମାଧବ! ଶ୍ୟାମ!

ଦୁହେଁ: ଆଜ୍ଞା! (ଆସି ମୁଣ୍ଡିଆ ମାରିଲେ) ଗୁରୁଦେବ!

 

ସୁଦାମା: (ଘୁଞ୍ଚିଯାଇ ଟିକିଏ) ନା ନା, (କୃଷ୍ଣ ମୂର୍ତ୍ତିଙ୍କ ପାଦତଳେ ମୁଣ୍ଡିଆ ମାରିବାକୁ ଠାରିଦେଲେ। ଛାତ୍ର ଦୁହେଁ ମୁଣ୍ଡିଆ ମାରିସାରି ଉଠି କରଯୋଡ଼ି ଠିଆହେଲେ)

 

ମାଧବ: ଆଜ୍ଞା, ଗୁରୁଦେବ। ଆପଣ ଆପଣଙ୍କ ଦେବତାଙ୍କୁ ପ୍ରଣାମ କରୁଛନ୍ତି, ସତ, ମାତ୍ର ଆମର ଦେବତା ତ ସ୍ୱଦେହରେ ଆମ ସମ୍ମୁଖରେ-

(ଦୁହେଁ ହାତଯୋଡ଼ି ଠିଆ ହୋଇ ଗାଇଲେ)

‘‘ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର

ଗୁରୁ ସାକ୍ଷାତ୍‌ପରଂବ୍ରହ୍ମ ତସ୍ମୈ ଶ୍ରୀଗୁରବେ ନମଃ।’’

 

(ଦୁହେଁ ସୁଦାମାଙ୍କୁ ମୁଣ୍ଡିଆ ମାରିଲେ। ସୁଦାମା, ଦୁହିଁଙ୍କୁଉଠାଇ ମଥାରେ ହାତ ବୁଲାଇ ପୁଣି ଗାଇଲେ)

ନନ୍ଦନନ୍ଦନ ହେ,

ଜୟ କରୁଣା ନିଧାନ,

ଭକତ ଜୀବନ କୃଷ୍ଣ, ମଦନ ମୋହନ ହେ

କରୁଣା ନିଧାନ।।୦।।

ଅକୃପାର ଦୟାତବ କେ, ପାରିବ କଳି ?

ତିନିଭୁବନ ଅରପେ ଭକ୍ତି- ପୁଷ୍ପାଞ୍ଜଳୀ ପ୍ରଣତି

ମିନତି ଘେନ ହୃଦୟ- ଚନ୍ଦନ ହେ!

କରୁଣା ନିଧାନ।।

 

(ସୁମତୀ ଓ ପିଲାମାନେ ପାଳିଧରି ଗାଇଲେ। ସୁମତୀ ପୁଣି ଶଙ୍ଖ ଫୁଙ୍କିଲେ। ସୁଦାମା ଓ ଅନ୍ୟମାନେ ଏତିକିବେଳେ ଠାକୁରଙ୍କୁ ମୁଣ୍ଡିଆ ମାରି କହିଲେ-)

 

ମିଳିତକଣ୍ଠ: ‘‘ଜୟ କୃଷ୍ଣ ଜଗତ- ବନ୍ଦନ’’